Unknown

 

 

 

 

 

 

 

 

 

ମଣିମାଳା

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦେବ

 

ବ୍ୟର୍ଥ ବ୍ୟଥା

 

କାହିଁ ପ୍ରେମ ପ୍ରତିମା ମୋ ସ୍ୱରଗ ସମାନ,

ଏକା ହୋଇ କାହିଁ ଗଲା ହୋଇ ଅନ୍ତର୍ଦ୍ଧାନ ?

ହେଲି କିପାଁ ପରିତ୍ୟକ୍ତ, କିଏ ହେବ ସାହା ?

ଚକ୍ଷୁଷ୍ମାନ ହୋଇ ଅନ୍ଧ ପରି ଚାଲେଁ ରାହା ।

ହେଉଛି ଯୌବନ ଦିନ ଅତୀତ ଯେତିକି,

କାଳ-ଛାୟା ସନ୍ନିକଟ ହେଉଛି ତେତିକି ।

ବିଗତ ବିଭବ ଖୋଜି ନ ପାଇଲି ଲେଶ,

ପୁଖାନଳେ କଲା ଯେହୁ ଦଗ୍ଧ ହୃଦଦେଶ ।

ସଂସାର ସଂଗ୍ରାମେ ସହି ପର ପରାଭବ

ରହିଛି ଯା ପ୍ରାଣ ଏହା ବଡ଼ ଅସମ୍ଭବ ।

Image

 

ଶୋଭା

 

ଚରାଚର ବିଶ୍ୱରାଜ୍ୟ ଶୋଭାର ସାଗର,

ନେତ୍ରଲୋଭା ଶୋଭା-ବୀଚୀ ଖେଳେ ନିରନ୍ତର ।

ଯହିଁ ଦେଖ ନାଚେ ତହିଁ ମଧୁର ସୁଷମା,

ନୀରବେ ଗାଇଣ ଶୋଭା-ଗୀତି ନିରୂପମା ।

ଶୋଭାପୂର୍ଣ୍ଣ ଅନମ୍ବର ମୁହୂର୍ତ୍ତ-ନୂତନ,

ଅନନ୍ତ ଶୋଭାର ଧ୍ୱଜା ଉଡ଼ାଏ କାନନ ।

ମାନବର ମତି, ଗତି, ନୟନେ ଆବର

ଛନ୍ଦେ ଯେହୁ ଦୃଢ଼େ ଶୋଭା ସେହି ତ ନିକର ।

ଆଉ ଏକ ଶୋଭା ବସେ ମାନବ-ମାନସେ,

ଶୋଭାପାୟୀ ଭେଦି ପାରେ ସେ ଶୋଭା ରହସ୍ୟେ ।

ଅଶୋଭାର ଶୋଭା ସେହୁ- ଶୋଭା ସ୍ୱର୍ଣ୍ଣଉତ୍ସ,

ଆନ ଯେତେ ଶୋଭା ସର୍ବେ ତୁଳନାରେ ତୁଚ୍ଛ ।

ସେହି ଶୋଭା ଉପଭୋଗ କରେ ଯେହୁ ପ୍ରାଣେ,

ପ୍ରକୃତ ସେ ଶୋଭା-ଭକ୍ତ, ଶୋଭା ମୂଲ୍ୟ ଜାଣେ ।

Image

 

ଭାବ-କାସାର

 

ବିରାବ ତ ଅଗ୍ରେ ଅହୋ କି ପ୍ରକାଣ୍ଡ

ସାରସ୍ୱତ ରମ୍ୟ ଭାବ-କାସାର,

ଅମଳ-କଳ୍ପନା- କମଳ-କଳିକା

ଭାସୁଛି ଅଗଣ୍ୟ ବକ୍ଷେ ତାହାର ।

ପୁଚ୍ଛ ସଞ୍ଚାଳିଣ ବୁଲୁଛନ୍ତି କେତେ

ଭାବ-ମୀନ ଆହା ଅତଳ ଜଳେ,

ଉଠି ଉପରକୁ ବୁଡ଼ି ଯାଉଛନ୍ତି

କେତେ ମୀନେ ପୁଣି କେଡ଼େ ଚଞ୍ଚଳେ ।

 

ମିଳିନ୍ଦ ରୂପେ ମୁଁ ଉଡ଼ି ବୁଲୁଅଛି

ଫୁଟୁ ନାହିଁ ତ ରେ କମଳକଳି,

ଫୁଟିଲେ କଳିକା ଭାବ-ମଧୁ ଆଶେ

ଉଡ଼ିଯିବ ନିଶ୍ଚେ ତା ପାଶେ ଅଳି ।

ନିର୍ନିମେଷ ନେତ୍ରେ ବକ ରୂପେ ମୁହିଁ

ଚାହିଁ ବସିଅଛି ସରସୀତୀରେ,

କୂଳକୁ ନ ଆସି ଭାବ-ମୀନଦଳେ

ଖେଳି ବୁଲୁଛନ୍ତି ଅଗାଧନୀରେ ।

 

ଫୁଟିବ ଅବଶ୍ୟ କମଳ-କଳିକା

ଭବ-ସୂର୍ଯ୍ୟ ଯେବେ ହେବେ ଉଦୟ,

ଆଶା-ତରୁ ମୋର କୁସୁମିତ ହେବ

ଆସୁଛି ଧାଇଁ ସେ ଶୁଭ ସମୟ ।

ଭ୍ରମବଶେ ନିଶ୍ଚେ ଦିନେ ହେଲେ ମୀନେ

କୂଳରେ ଯିବେ ମୋ ହାବୁଡ଼େ ପଡ଼ି,

କୁସୁମିତ ତରୁ ଫଳଭରା ହୋଇ

ଫଳ ପାଚି ଦିନେ ପଡ଼ିବ ଝଡ଼ି ।

Image

 

ବନ

 

ବନ ସମ ଶାନ୍ତି ସ୍ଥଳ ଆଉ ନାହିଁ,

ତା ତୁଲ୍ୟ ବିଜନ ଭୂମି ଅଛି କାହିଁ ?

ଉଦାସୀନ ଭାବ ତହିଁ ଜନ୍ମେ ଜବେ,

ବିଳାସ ବାସନା ଲୀନ ତା ସଂଶ୍ରବେ ।

ହତାଶ ସଂସାର ଯାତ୍ରୀ ପକ୍ଷେ ଆନ

ନାହିଁ ଭବ ମଧ୍ୟେ ତା ସମାନ ସ୍ଥାନ ।

ଆହା ସେ ସାମ୍ୟଦ ଅଟବୀ ପ୍ରଦେଶ

ତୃତୀୟାଶ୍ରମର ନିର୍ଭୟ ନିବେଶ ।

ଅଟେ କି ପବିତ୍ର ସମଦର୍ଶୀ ବନ,

ତା ଆଶ୍ରିତ ଜୀବ ନିଶ୍ଚେ ଅଟେ ଧନ୍ୟ ।

ତାହା ସ୍ନେହାକର୍ଷେ ବନ୍ୟ ଜନ୍ତୁ ନାମେ

ଅଛନ୍ତି ପ୍ରାଣୀଏ ସ୍ୱତନ୍ତ୍ର ଆରାମେ ।

ଯେ ବନ ପ୍ରକୃତି ଦେବୀ କ୍ରୀଡ଼ାସ୍ଥଳୀ,

ତା ମହିମା ସୀମା ପାରିବ କେ କଳି ?

ଅରଣ୍ୟେ ନିର୍ମିତ କୁଟୀର ନିବାସ

ସୌଧ-ଭୋଗ-ରୋଗ କରିଦିଏ ନାଶ ।

ଧନ୍ୟ ତା ଔଦାର୍ଯ୍ୟ, ଐଶ୍ୱର୍ଯ୍ୟାଦି ଧନ୍ୟ,

ତା ବିନା ସାଧନା ପୀଠ ନାହିଁ ଅନ୍ୟ ।

Image

 

ଭବପ୍ରବେଶୀ ପ୍ରତି

 

ସଂସାର କ୍ଷେତ୍ରରେ ଜୀବନ ଯାତ୍ରାର

ଯାତ୍ରୀ ହେବା ଅକାରଣ,

ପାର ନାହିଁ ଯଦି କହି ସୁବଚନ

ତୋଷିବାକୁ ଲୋକ ମନ ।

ଅନ୍ୟର କଥାରେ ଧରେ କୁଭାବ କି

ଯେହୁ ପ୍ରକୃତ ବାନ୍ଧିବ,

ବନ୍ଧୁର ସମ୍ପଦେ ବିପଦରେ କରେ

ସମ ଭାବ ଅନୁଭବ ।

ଉପଳ କଠିନ ନୀରସ ହୃଦୟ

ସୁରସାଳ ସୁକୋମଳ-

କରଣେ ବିନୟ ବଚନ-ଅମିୟ

ବିନା ତ ନାହିଁ ସମ୍ବଳ ।

ବୃଥା କଥା ଦ୍ୱାରା କ୍ରମାଗତ ଜିହ୍ୱା

ହୁଏ ସ୍ୱାୟତ୍ତେ ଚାଳିତ,

କେବଳ ସୁଶିକ୍ଷା ବଳ କଳ ବଶେ

ହୁଏ ସନା ସଂଯମିତ ।

ଚରିତ୍ର ଗଠନ ସଂଯମଶିକ୍ଷାର

ଅଟଇ ମୂଳ କେବଳ,

ତାହା ବିନା ତରୀ ନାହିଁ ତରିବାକୁ

ଏ ଭବସାଗର ଜଳ ।

ଏହି ରସନାର ମିଷ୍ଟ ବାକ୍ୟ ଯୋଗେ

ସୃଷ୍ଟ ହୋଇ ପାରେ ସୁଧା,

ଅନ୍ୟଥା ତାହାର କୁବାକ୍ୟେ ଗରଳ

ଜାତ ହୋଇଥାଏ ସୁଦ୍ଧା ।

ଖଳ ଜନଙ୍କର କୁତ୍ସିତ ରସନା

ଗଚ୍ଛିତ ଯହିଁ ଅନୃତ,

ତହିଁର ତଡ଼ିତ ଶକ୍ତିବଶେ ବିଷ-

ଭାବକୁ ଭଜେ ଅମୃତ ।

Image

 

ବଡ଼ ଲୋକ

 

ଧନୀ ମାତ୍ରେ ବଡ଼ଲୋକ ବୋଲନ୍ତି ସଂସାରେ,

ମୂଲ୍ୟହୀନ ଉକ୍ତି ଏହୁ ଅଟେ ମୋ ବିଚାରେ ।

ଧନୀ ହେଲେ ବଡ଼ଲୋକ ହୋଇବ କିପରି,

ଥୋକାଏ ହୁଅନ୍ତି ଧନୀ ଧନର ପ୍ରହରୀ ।

ଅଛନ୍ତି ଅନେକ ଧନୀ କାଣ୍ଡଜ୍ଞାନଶୂନ୍ୟ,

ଏକାକାର ସେମାନଙ୍କ ନେତ୍ରେ ପାପ ପୁଣ୍ୟ ।

ଏହିପରି କେତେ କେତେ ଅକାଳକୁଷ୍ମାଣ୍ଡେ

ନାହାନ୍ତି ଅଭାବ ଏହି ଅନନ୍ତ ବ୍ରହ୍ମାଣ୍ଡେ ।

ପାର୍ଥିବ ଧନରେ ବଡ଼ ହୁଏ ନାହିଁ କେହି,

ଯେହୁ ଅପାର୍ଥିବେ ଧନୀ ବଡ଼ଲୋକ ସେହି ।

ନୁହେ ବଡ଼ ଯାର ଅଛି ଅପ୍ରମିତ ଧନ,

ବଡ଼ଲୋକ ସେହି ଏକା ବଡ଼ ଯାର ମନ ।

ସଂସାରରେ ବଡ଼ ହେବା ବିଷମ ବ୍ୟାପାର,

ବିଷୟେ ଯେ ଅପ୍ରମତ୍ତ ବଡ଼ ନାମ ତାର ।

କାମ, କ୍ରୋଧ, ଲୋଭ, ମୋହ ଆଦି ରିପୁଚୟ

ଜ୍ଞାନ ବଳେ ଯେଉଁ ଲୋକ କରିଅଛି ଜୟ,

ହିତାହିତ ନ୍ୟାୟାନ୍ୟାୟ ଯେ କରେ ବିଚାର,

ଭବ-କର୍ମକ୍ଷେତ୍ରେ କର୍ମେ ଉନ୍ନତି ଯାହାର,

ସତ୍ୟପଥୁ ବିଚଳିତ ନ ହୁଏ ଯେ ଜନ,

ସମାନ ଚକ୍ଷୁରେ ଦେଖେ ଧନୀ ଦୁଃଖିଗଣ,

ଧର୍ମର ମାହାତ୍ମ୍ୟ ଭବେ ଯେ କରେ ବର୍ଦ୍ଧନ,

ସଦାଚାରେ ରତ ସଦା ଥାଏ ଯାର ମନ,

ସେହି ଅଟେ ବଡ଼ଲୋକ ଏ କଥା ନିଶ୍ଚିତ,

ସେହିପରି ବଡ଼ଲୋକ ହେବାର ଉଚିତ ।

Image

 

ବସନ୍ତ ସୁଷମା

(ବନ୍ଦଇ ନିତ୍ୟ ଶ୍ରୀଜଗନ୍ନାଥ ବୃତ୍ତରେ)

 

କି ରଙ୍ଗେ ବାସ- ହୀନ ପଳାଶ

କୁସୁମ ରଙ୍ଗେ ମଣ୍ଡିତ,

କିବା ବାସନା କରି କଳ୍ପନା

ତପେ ଅଛି ନିୟୋଜିତ ।

କୋକିଳ କଣ୍ଠ ବାଜଣା ଘଣ୍ଟା

ପ୍ରକୃତି ଦେବୀ ଅର୍ଚ୍ଚନା,

ବନ ପ୍ରଦେଶେ ସ୍ଥଳ ବିଶେଷେ

ଜଣାଇ ଦିଏ ସୂଚନା ।

ମଧୁ ମାସର ମଧୁପଙ୍କର

ମହୁରୀ ବାଜେ ଗହଳ,

ବାସନ୍ତୀ ରାଣୀ ଆସିବା ଜାଣି

ପଡ଼ିଛି କିବା ଚହଳ !

ଲତା ବେଷ୍ଟିତ ଚାରୁ ପୁଷ୍ପିତ

ପତ୍ରଯୁତ ତରୁତତି

 

କିବା ବାସନ୍ତୀ ରାଣୀ ସମ୍ପତ୍ତି

ରତ୍ନମୟ ରଥପନ୍ତି !

ନାଗ କେଶର ତମାଳବର

ବେନି ରାଜ ପାଟଛତି-

ପାଶେ ନିଃଶଙ୍କେ ମହାପୁଲକେ

ଉଡ଼ି ବୁଲେ ପ୍ରଜାପତି ।

ବାସନ୍ତୀ ରାଣୀ ପ୍ରବେଶ ବାଣୀ

ସୂକ୍ଷ୍ମ ସ୍ପର୍ଶଭାବେ ଜାଣି

ମୃଦୁ ପବନେ ତୃପ୍ତି ସାଧନେ

ବିମୋହିତ ଅରଣ୍ୟାନୀ ।

ଶୀତ ଭୟରେ ଅଚେତନରେ

ରହିଥିଲା ବସୁନ୍ଧରା,

ବସନ୍ତ ସ୍ପର୍ଶେ ଏବେ ସେ ହର୍ଷେ

ଜାଗ୍ରତେ କାର୍ଯ୍ୟେ ତତ୍ପରା ।

ସ୍ଥାଣୁ ନିଚୟ ପାଇ ଅଭୟ

ହେଲେ କ୍ରମେ ପଲ୍ଲବିତ,

ମାତ୍ର ସହସା ସ୍ଥାଣୁଙ୍କ ଦଶା

ଲଭି ବଂଶ ବଂଶ ଭୀତ ।

ଜାଣି ନୁହଇ କେ ପାରେ କହି

ଭାଗ୍ୟର ବିଚିତ୍ର ଗତି,

ସେ ଚକ୍ରବତ ଘୁରେ ନିରତ

ଆଶ୍ରୟ ତାର ନିୟତ ।

Image

 

ସ୍ୱପ୍ନ

 

ଉଷାରାଣୀ ସମାଗମେ

ଆହା କି ସୁଖ ସ୍ୱପନ,

ଅପୂର୍ବ ରୂପ ଦର୍ଶନେ

ଲଭିଲା ଆନନ୍ଦ ମନ ।

ଚିନ୍ତା ଆକୁଳିତ ଚିତ୍ତ

ସଦା ଥିଲା ଅପ୍ରସନ୍ନ,

କି ଅପୂର୍ବ ଭାବ ଆସି

ପଶିଲା ହୃଦେ ବହନ ।

ପ୍ରକୃତିସୁନ୍ଦରୀ କି ସେ

ବିଜନରେ ଅତୁଳନ

ସୃଜି ଶ୍ରୀକରେ ଗଲା କି

ପ୍ରେମମୟ ନିକେତନ !

କିଏ ତୁମ୍ଭେ ଅକଳଙ୍କ

ଶଶାଙ୍କବଦନୀ ଆସି

ବିଜନ ହୃଦୟ-ବନେ

ପଶି ତୋଷିଲ କି ଭାଷି ?

ସୁପବିତ୍ର କଳେବର

ଛୁଇଁବାକୁ ପ୍ରେମଭରେ

ହୋଇ ମୁଁ ଚେଷ୍ଟିତ ହେଲି

ନିଶ୍ଚେଷ୍ଟିତ ନିରାଶରେ ।

ଏକାକିନୀ ସନ୍ନ୍ୟାସିନୀ

ରୂପେ ରୂପସୀ ବିମନେ

ଛାଡ଼ି ଦେଇ ଏତେ ଦିନେ

ଦେଖାଦେଲ କି କାରଣେ ?

ତବ ଦେହ ବିନିଃସୃତ

ବାସିତ ମଳୟବାୟୁ

ମୃତ ଦେହେ ଦେଲା ଆଣି

କାହୁଁ ଦୀର୍ଘ ପରମାୟୁ ।

ଆନନ୍ଦ ବିଷାଦ ଆଜି

ଉଭୟ ମିଳନ ଭାବେ,

ମଳିନ ବଦନ ପୁଣି

ମଳିନ ନେତ୍ର ସ୍ୱଭାବେ ।

ଚିତ୍ରିତ ବିଚିତ୍ର ପ୍ରେମ ଛବି

ହୃଦୟ ପଟରେ,

ରହିଛି କେସନେ ଧୌତ

ନୋହି ଚକ୍ଷୁ ଲୋତକରେ ।

ଅଟେ ସଞ୍ଜୀବନୀ ସୁଧା

ମୟ ତବ ହୃଦସ୍ଥଳ ।

ତବ ପ୍ରେମ ପୀୟୁଷରେ

ପାଇଛି ସମ୍ବଳ ଫଳ ।

ଆଜି ଏହି ହୀନ ଜନ

ମୃତ ସନ୍ନିଭ ଜୀବନ

ବଞ୍ଚାଇ ରଖିଲ ମାତ୍ର

ଦେଇ ଶୁଭ ଦରଶନ ।

ଯେଉଁ ପରାଣ ସୁରକ୍ଷା

ପାଇଁ ଦେଇଅଛ ଦେଖା,

ରହବି କି ତାହା ଆଉ

ତବ ବିନା ହୋଇ ଏକା ।

Image

 

କୁସୁମ

 

କମନୀୟ କାନ୍ତି ତୋର ହେରି ରେ ସୁମନ,

ଆନନ୍ଦ ଆପ୍ଲୁତ ଶୋଭା-ପିପାସିତ ମନ ।

କି ସ୍ୱର୍ଗୀୟ ରତ୍ନେ ତୁହି ଆବରିଛୁ ଦେହ,

ତୋତେ ଦେଖିବାକୁ ସଦା ବଳେ ଗୁରୁ ସ୍ନେହ ।

କବିର ସମ୍ବଳ ତୁହି ଭକ୍ତର ଜୀବନ,

ମୁନି ମନ-ବିମୋହନ ତୁହି ରେ ସୁମନ ।

ବାଳକ ବାଳିକାକୁଳ କ୍ରୀଡ଼ା ଗଣ୍ଠିଧନ,

ତୋତେ ହେରି ହୁଅନ୍ତି ସେ ଆନନ୍ଦେ ମଗନ ।

ଯୁବକ କୁଳର ତୁହି ଆଗ୍ରହ ସମ୍ବଳ,

ସୁନ୍ଦରୀର ଅଳଙ୍କାର ସୁନ୍ଦର ସରଳ ।

ବାତ୍ସଲ୍ୟ କରୁଣା ଭକ୍ତି ପ୍ରୀତି ପୁଣ୍ୟ ଭାବ

ଜୀବନେ ସୁମନ ତୋର ନାହିଁରେ ଅଭାବ ।

ମଧୁ ମକରନ୍ଦେ ତୋର ମୁଗ୍ଧ ମଧୁବ୍ରତ,

ମଧୁର ସୁଗନ୍ଧେ କିନ୍ତୁ ମୋହୁ ତୁ ଜଗତ ।

ନୀରବେ ତୁ ଶିକ୍ଷା ଦେଉ ବିଶ୍ୱବାସିଗଣେ,

ମୋହ ପରି ସର୍ବପ୍ରିୟ ହୁଅ ଅନୁକ୍ଷଣେ ।

ତେବେ ସିନା ହେବ ସାର୍ଥ ମାନବ ଜୀବନ,

ନତୁ ଅକାରଣ ଭବେ ଜୀବନ ଧାରଣ ।

ନିଜ ଗୁଣେ ଆକର୍ଷଇ ଯେହୁ ଜନ ମନ,

ସେହି ଏକା ଏ ଜଗତେ ସମ୍ମାନ ଭାଜନ ।

ପବିତ୍ର ପ୍ରଭାତେ ଯେବେ ମୃଦୁ ମୃଦୁ ହସି

ଖେଳୁ ସମୀରଣ ସହ ବୃନ୍ତାସନେ ବସି,

ସେ କାଳ ଶୋଭାକୁ ତୋର କି ଦେବି ତୁଳନା,

ସେ ଶୋଭା ତୁଳନା ସିନା ବଳଇ କଳ୍ପନା ।

କି ବର୍ଣ୍ଣିବି କୁସୁମ ରେ ତୋହର ମହିମା,

ପିପୀଲିକା କଳିବ କି ଧରଣୀର ସୀମା ।

ରୂପ ଗୁଣ ବେନି ଯୋଗେ ଧନ୍ୟ ତୁ ଧରାରେ,

ଦୁର୍ଲଭ ଯେ ଗୁଣଦ୍ୱୟ ନରେ ଏକାଧାରେ ।

ମୁହୂର୍ତ୍ତକେ ତୋର ତନୁ ପଡ଼ିଯାଏ ଫିକା,

ଫିକା ପଡ଼ିଯାଏ ଯଥା ପ୍ରାତେ ଦୀପ ଶିଖା ।

ମୁହୂର୍ତ୍ତକ ପରେ ତୁହି ଚାଲିଯିବୁ କାହିଁ,

ପ୍ରଚାରି ସଙ୍କେତେ ଭବେ ସ୍ଥାୟୀ କେହି ନାହିଁ ।

Image

 

ଦୁଶ୍ଚିନ୍ତା

 

ମଣୁଥିଲି ଯାକୁ

ସ୍ୱର୍ଗସମ ସୁଖ,

ଲୁଚିଲା ସେ କାହିଁ

ଦେଖାଇଣ ମୁଖ ।

ଏଣିକି ଏ ଦୁଃଖ

ହେବ ଚିରସ୍ଥାୟୀ,

ପଛେ ପଛେ ଲାଗି

ଥିବ ଯଥା ଛାଇ ।

ଦୁରାଶା-ବାହନେ

ଭ୍ରମି ଲୋଡ଼ି ସୁଖେ

ସଖାତ୍ୱେ ବରଣ

କଲି ଚିର ଦୁଃଖେ ।

ବାନ୍ଧି ବୃଥା ଆଶା

ହତାଶ ଜୀବନେ

ଠାବ ଦେଲି ଚିନ୍ତା-

ଦାବେ ହୃଦ-ବନେ ।

ସେ ଚିନ୍ତା ଅନଳ

ଐଜଲ୍ୟ ଜ୍ୱଳିତ,

ଦୀପ୍ତ ଦୀର୍ଘ ଶିଖା

କରେ ସଞ୍ଚାଳିତ ।

ପୂର୍ଣ୍ଣତାର ପାଇଥିଲେ

ଅବସର ।

କରନ୍ତା ସେ ପୁଣି

କେତେ ହରବର ।

ଛାଡ଼ି ନାହିଁ ସେହୁ

କାହାକୁ ଜଗତେ,

ରଖିଛି ସକଳେ

ଆପଣା ଆୟତ୍ତେ ।

ରୋଗୀ ଭୋଗୀ ରଙ୍କ

ସଭିଙ୍କ ହୃଦୟ

ଅଟେ କୁଚିନ୍ତାର

ବିଶାଳ ଆଳୟ ।

ପ୍ରାଣେ ଥାଉ ଥାଉ

ଦହିବା ଶକତି,

ନାହିଁ କାର ଆଉ

ଏଡ଼େ ବଳବତୀ ।

ନାହିଁ ତା ଭାବନା

ବୋଲି ବଡ଼ ସାନ,

ସର୍ବ ହୃଦେ କରେ

ପ୍ରଭୁତ୍ୱ ସମାନ ।

ଜୀବନେ ସେ ଚିନ୍ତା

ଅଟେ କି ଦୁର୍ବାର,

ହାବୁଡ଼ରୁ ତାର

ନାହିଁକି ନିସ୍ତାର ।

ବିଷ୍ଣୁଜ୍ୱର ଚିନ୍ତା,

ମାନବ ପରାଣେ

କରାଏ ସାକ୍ଷାତ

ଅନ୍ତିମ ପ୍ରୟାଣେ ।

Image

 

ଖଳ

 

ଖ୍ୟାତ ପଞ୍ଚଭୂତେ ସୃଷ୍ଟ ସକଳ ମହୀରେ,

ଖଳକୁ ସୃଜିଲେ ବିଧି କେ ଜାଣି କାହିଁରେ ।

ଯେଉଁ ଦିନ ନ ଗାଏ ସେ ପରଦୋଷ-ଗୀତା,

ସେ ଦିନ ଅମୃତ ଖାଦ୍ୟ ଲାଗେ ତାକୁ ପିତା ।

ଉଡ଼ିଯାଏ ସର୍ପ ବିଷ ପଦ ଗଦ ବଳେ,

ଖଳର ଔଷଧ ମାତ୍ର ନାହିଁ ଭୂମଣ୍ଡଳେ ।

ବନ୍ୟ ହିଂସ୍ର ଜନ୍ତୁ ହୁଏ ସ୍ନେହେ ବଶୀଭୂତ,

ଖଳର ପ୍ରକୃତି କିନ୍ତୁ ଅଦ୍ଭୁତ ଅଦ୍ଭୁତ ।

ଦୁଗ୍ଧ ପାନ କଲେ ସେହୁ ଉଗାରେ ଗରଳ,

ଶ୍ୱାନ ପୁଚ୍ଛ ପ୍ରାୟ କେବେ ନ ହୁଏ ସରଳ ।

କି ରସରେ ରସାଣିଛି ବିଧି ତା ରସନା,

କାଟବ୍ୟେ (୧) ଧାନୁଆ ଲଙ୍କା ନୁହେଁ ତା ତୁଳନା ।

ଖଳଗୁଣ ଅନୁଭବି ଭଞ୍ଜକୁଳ-ରବି

ଭଦ୍ରା ପରିଣୟ କାବ୍ୟେ (୨) ଗାଇଛନ୍ତି କବି-

‘‘ସ୍ୱଭାବେ ଖଳ ଉଲୂକ ଏକ ଏହୁ ବେନି,

ସନ୍ତୋଷ ସେ ଦୋଷାଦୟ ଦୋଷାଦୟ ଘେନି ।’’ (୩)

ଥାଉ ସେ ବର୍ଣ୍ଣନା ଏବେ କହିଗଲ ଠିକେ,

ପଙ୍କକୁ ଘାଣ୍ଟିଲେ ତାହା ଉପରେ ଛିଡ଼ିକେ ।

 

(୧)

କଟୁତାରେ ।

(୨)

ସୁରଦ୍ରାପରଣୟ କାବ୍ୟ ।

(୩)

ଦୋଷା (ଅନ୍ଧକାର ରାତ୍ରି) + ଉଦୟ = ଦୋଷୋଦୟ (ପେଚକ ପକ୍ଷରେ) ଦୋଷ+ଉଦୟ = ଦୋଷୋଦୟ, (ଖଳପକ୍ଷରେ) ବର୍ଣ୍ଣଶେଷ ଅଳଙ୍କାର ।

 

Image

 

ଅନୁତାପ

 

ଏକାନ୍ତରେ ବସି କାନ୍ଦେ ମୁହିଁ ଆହା,

ଦୀର୍ଘ କାଳ ହେଲା ନୋହିଥିଲା ଯାହା ।

ପ୍ରେମାଶ୍ରୁ ବାରଣେ ମୋ ନେତ୍ର ଯୁଗଳ

କିପାଁ ହେଲା ଏବେ ଅକ୍ଷମ ଦୁର୍ବଳ ।

ଯେତେ ଦୂରେ ମୁହିଁ କଲେହେଁ ଭ୍ରମଣ,

ନୁହଁନ୍ତି ମୋ ବନ୍ଧୁମାନେ ବିସ୍ମରଣ ।

ନୁହେଁ ଏହା ଚିର ସୁଖୀର ଲକ୍ଷଣ,

ଅଲକ୍ଷିତ ଭାବେ ବ୍ୟର୍ଥ ପର୍ଯ୍ୟଟନ ।

ମୋର ଆଗମନ ପାଇଁ କିଏ ଆଉ

ଅପେକ୍ଷା କରିବ ଆସି ଅବା କାହୁଁ ?

Image

 

ଶଯ୍ୟା

 

ନ ବୁଝି ମୁହିଁ ରେ ରୋଗ-ଶଯ୍ୟା ତୋର ଗୁଣ,

ବହୁଥିଲି ମନେ ସିନା ମୋ ପ୍ରତି ବିଗୁଣ ।

ରୋଗାକ୍ରାନ୍ତ ହେଲାବେଳେ ଆହା ଦିନ ରାତି,

ଥାଉ ପ୍ରିୟବନ୍ଧୁ ଭାବେ ପ୍ରସାରି ତୁ ଛାତି ।

ହେଲା କାଳେ ତୋ ବକ୍ଷରେ ଶୋଇ ଛଟପଟ

ଅଣୁମାତ୍ର ବିରାଗ ତୁ ନ କରୁ ପ୍ରକଟ ।

ନୀରବରେ ନରେ ଦେଇ ଉଚ୍ଚାଶୟ ଶିକ୍ଷା,

ପୁଣି ଗୁପ୍ତେ ଦୀକ୍ଷାଦାତା ରୂପେ ଦେଉ ଦୀକ୍ଷା ।

ତୋହ ପରି ହିତକାରୀ ସଖା ନାହିଁ ଆଉ,

ସୁଖେ ଦୁଃଖେ ପଲଙ୍କେ ବା ତଳେ ପଡ଼ିଥାଉ ।

ରୋଗୀ ଭୋଗୀ ସଂଶ୍ରବରୁ ହେଲେ ତୁ ଘୃଣିତ,

ତଥାପି ପରୋପକାରୁ ଅଟୁ ପ୍ରଶଂସିତ ।

ନରସେବା ଜୀବନର ତୋର ଚିରବ୍ରତ,

ହୃଦୟ ଉଦାର ସ୍ନିଗ୍ଧ ପବିତ୍ର ମହତ ।

ସାମ୍ୟ ମୌତ୍ରୀ ଗୁଣେ ତୋର ହୋଇ ଆକର୍ଷିତ

ହୁଅନ୍ତି ମାନବେ ସୁଖେ ଦୁଃଖେ ତୋ ଆଶ୍ରିତ ।

ହରୁ ତୁହି ସମସ୍ତଙ୍କ ଅବସାଦ ନିତି,

ଆଣି ଦେଉ ଅଯାଚିତେ ସୁଖ ଶାନ୍ତି ପ୍ରୀତି ।

ଭବେ ସମଦର୍ଶୀ ଭାବେ ତୁ ସଦା ମଣ୍ଡିତ,

ଏଣୁ ତୋର ଅଙ୍କାଶ୍ରୟୁ ନୁହେଁ କେ ବଞ୍ଚିତ ।

ମାତ୍ର ତୋ ସୁଖେ ସୁଖଦ, ଦୁଃଖେ- ଦୁଃଖପ୍ରଦ-

ଭାବ ଭାବି ଭାବି ହୃଦ ନ ହୁଏ ବିଶଦ ।

ସଙ୍ଗଗୁଣେ ରୋଗ ତଳ୍ପ ଭୋଗତଳ୍ପ ଦୁଇ,

ନାମେ ଅଭିହିତ ହୋଇ ପ୍ରକାଶିତ ତୁହି ।

ରେ ମୋ ତଳ୍ପ ମୋର ସ୍ପର୍ଶେ ରୋଗ ତଳ୍ପାଖ୍ୟାନ,

ଲଭି ନ କର ମୋ ଗୃହେ ଚିର ଅବସ୍ଥାନ ।

Image

 

ମନ ପ୍ରତି

 

ସଂସାରେ ଯେତେ ନର କେହି ନୁହେଁ ଅମର

ସମସ୍ତେ ମରଣର ବଶ,

ବାଲ୍ୟରେ ଯୌବନରେ ଅବା ବୁଦ୍ଧ କାଳରେ

ସ୍ପର୍ଶିବ ମରଣ ଅବଶ୍ୟ ରେ ମୂଢ଼ ମନ;

ସରି ଯାଉଛି ଦିନ ଯେତେ,

କାଳ ସମୀପ ହୁଏ ତେତେ,

ଅଟେ ମୃତ୍ତିକା ଘଟ ପରି ରେ ଏହି ଘଟ

ରହିବ ସିନା ଦିନ କେତେ ରେ ମୂଢ଼ ମନ ।୧।

ପ୍ରୋଥିତ କାଷ୍ଠବାଡ଼ ପରି ରହିଛି ହାଡ଼ ।

ନାଡ଼ି ଦଉଡ଼ିର ବନ୍ଧନେ,

ମୃତ୍ତିକା ସମ ମାଂସ ଆବୃତ ଦେହ ବାସ

ରହିଛି ତ୍ୱକ ବିଲେପନେ ରେ ମୂଢ଼ ମନ;

ତିନି ଷଡ଼ ଫାଟକ ସ୍ଥିତ,

ଘର ଜୀବାତ୍ମାର ଆଶ୍ରିତ,

ପାଞ୍ଚରେ ସେ ନିର୍ମିତ ପାଞ୍ଚରେ ସେ ମିଶ୍ରିତ

ହୋଇଯାଏ ଶେଷେ ବିଗତ ରେ ମୂଢ଼ ମନ ।୨।

 

ଏ କଳେବର ରଥ ଜୀବାତ୍ମା ରଥୀ ବତ

ତାର ଇଚ୍ଛା ଅଟେ ସାରଥୀ,

ଚଳାଏ ସେ ଯେମନ୍ତ ଚଳେ ରଥ ତେମନ୍ତ

ନାନାରୂପରେ କରି ଗତି ରେ ମୂଢ଼ ମନ;

ସୁଖ ଦୁଃଖ ଚକ୍ର ଉଭୟ,

ଘୁରେ ନିରତ ନୋହି ଥୟ,

ଚିନ୍ତା ଆଶା ଏ ଦ୍ୱୟ ସେହି ସ୍ୟନ୍ଦନ ହୟ

ତୃଷ୍ଣା କୋରଡ଼ା ବାଗ ଭୟରେ ମୂଢ଼ ମନ ।୩।

କୁମାର ଯୌବନହିଁ ତା ପରେ ବୃଦ୍ଧ ତହିଁ

ତିନି ବିଚିତ୍ର ଚିତ୍ରରଙ୍ଗ,

କାଳବଶରେ ଏକ ଗଲେ ଆସେ ଆରେକ

ନ ଥାଏ ପରସ୍ପର ସଙ୍ଗ ରେ ମୂଢ଼ ମନ;

ସଂସାରେ ଦେହ ରଥଜାତ,

କରି ପରମ ଜଗନ୍ନାଥ,

ଯାତ୍ରା ଶେଷେ ସ୍ୟନ୍ଦନ ତ୍ୟାଗ କରି ବହନ

ଗମନ୍ତି ଯଥା ଚିର ପାନ୍ଥ ରେ ମୂଢ଼ ମନ ।୪।

Image

 

ଦୂର୍ବା

 

ଦୁର୍ବା, ତୃଣ ମଧ୍ୟେ ହେଲେ ତୁ ସାନ,

ମାତ୍ର ଚିରସ୍ଥାୟୀ ତୋର ସମାନ,

ନମ୍ରତା ଗୁଣ ଅନୁକରଣୀୟ

ପୁଣି ଅଟେ ମୁଖ୍ୟ ସୁଶିକ୍ଷଣୀୟ,

କେ ଅଛି ତୋ ସମ,

ତୁ ତ ସ୍ୱଭାବ ଗୁଣେ ନିରୂପମ ।

ଯେବେ ଝଟିକା ବହଇ ପ୍ରବଳେ,

ଗର୍ବ ଭାବ ଛାଡ଼ି ତୁହି ଚପଳେ

ନମ୍ରଭାବେ ଲୋଟି ପଡ଼ିଣ ତଳେ

ନ ଉପୁଡ଼ି ବଞ୍ଚି ଯାଉ କୌଶଳେ,

ନମ୍ରତା ହୀନରୁ

କ୍ଲେଶ ଭୋଗନ୍ତି ବଡ଼ ବଡ଼ ତରୁ ।

 

ବୁଝିଛୁ ଭଲେ ନମ୍ରତାର ମୁଲ୍ୟ

ନ ବୁଝନ୍ତି ଯାହା ନରେ ତୋ ତୁଲ୍ୟ,

କେତେ ଭିନ୍ନ ଗୁଣ ବିଚିତ୍ର ଲେଖା,

ସ୍ୱଭାବ ବଶେ ଯାଉଅଛି ଦେଖା,

ଏ ଭବ-ଅଟବୀ

ମଧ୍ୟେ ଅଛି ନାନା ସ୍ୱଭାବ ଛବି ।

ବିପଦେ ସମ୍ପଦେ ନମ୍ରତା ଗୁଣ

ସକଳ କାର୍ଯ୍ୟ କରାଏ ନିପୁଣ,

ଆନତିରେ ଶତ୍ରୁ ମାତୃ ଭାବରେ

ଆନତ ହୋଇ ରହେ ସମ୍ମୁଖରେ,

ସେ ନମ୍ରତାଗୁଣ

ନ ଘଟେ ସମସ୍ତ ସୌଭାଗ୍ୟେ ପୁଣ ।

ଆନତିରେ କେତେ କେତେ ଅସାଧ୍ୟ

କାର୍ଯ୍ୟମାନ ହୋଇ ଯାଏ ସୁସାଧ୍ୟ,

ସେ ଗୁଣ ପ୍ରକୃତ ତତ୍ତ୍ୱ ସାଧିତ

କରି ସର୍ବତ୍ର କରାଏ ପୂଜିତ,

ସେ ଗୁଣ ସୌଜନ୍ୟ

ଘଟେ ଯାହା ଭାଗ୍ୟେ ଅଟେ ସେ ଧନ୍ୟ ।

Image

 

ଦାରିଦ୍ର୍ୟ

 

ରେ ଦାରିଦ୍ର୍ୟ ନାହିଁ କେହି ତୋ ପରି ଭଗାରୀ,

ତୋହ ଲାଗି ସିନା ନରେ ବୋଲାନ୍ତି ଭିଖାରୀ,

ଆଜ ଯେ ମୁକୁଟଧାରୀ,

ହୁଏ କାଲି ଆହା ସେହୁ କୁଟୀରାଧିକାରୀ ।

ସର୍ବତ୍ର ତୁ ପରିଚିତ ଯଥା ମୃତ୍ୟୁଦୂତ,

ଅଯାଚିତ ରଙ୍କ ଆଖ୍ୟା ପ୍ରଦାନେ ପ୍ରସ୍ତୁତ,

ପର ଅନ୍ନ ପର ବାସ

ଘଟାଉ ମାନବ ଭାଗ୍ୟେ କରି ବୁଦ୍ଧି ନାଶ ।

ଆହା କେଡ଼େ କେଡ଼େ ଜ୍ଞାନୀ ମାନୀ ତୋର ବଶେ

ହରାଇ ସମ୍ମାନ କାଳ କ୍ଷେପନ୍ତି ବିରସେ,

ଅଟୁ ତୁ ଧନୀ ଅରାତି,

ଭିକ୍ଷୁକ ସଂଖ୍ୟା ବୃଦ୍ଧିର ମୁଖ୍ୟ ପକ୍ଷପାତୀ ।

 

ବିପୁଳ ସମ୍ପତ୍ତିରେ ଯେ ଗୃହ ଆଜି ପୂର୍ଣ୍ଣ,

କାଲି ତୋ ଆଗମେ ହୁଏ ତା ଶ୍ରୀହୀନ ତୂର୍ଣ୍ଣ,

ବଡ଼ ସାନ ଭାବ ଭବେ

ସର୍ବଦା ଉଦ୍ଭବ ହୁଏ ତୋହରି ସଂଶ୍ରବେ ।

ତୋହର ରାଜତ୍ୱ ଯହିଁ ହୁଏ ବିସ୍ତାରିତ,

ଧନିକ ଶବଦ ତହୁଁ ହୁଏ ନିର୍ବାସିତ,

ତୋର ଅଧିକାର ଯୋଗେ,

ନିରାମୟ ଲୋକ ସୁଦ୍ଧା ଭୋଗେ ନାନା ରୋଗେ ।

କୋବିଦ କଳ୍ପନା ଶକ୍ତି ତୋ ଶକ୍ତି ନିକଟେ

ପରିସ୍ଫୁଟ ନୋହି ସଦା ରହେ ଅପ୍ରକଟେ,

ଶିଷ୍ଟ ପରାକ୍ରମଶାଳୀ

ତୋହ ଅଧିକାରେ ରହେ ନୀଚ ଆଜ୍ଞା ପାଳି ।

 

ଦୁର୍ବାର ବୁଭୁକ୍ଷାନଳେ କରି ବ୍ୟତିବ୍ୟସ୍ତ

କରାଉ ବଡ଼ ଲୋକଙ୍କୁ ଇତରଦ୍ୱାରସ୍ଥ,

ଭିକ୍ଷା ଲାଗି ଦ୍ୱାରେ ଦ୍ୱାରେ

ଭ୍ରମାଉ ତୁ ଆହା ତାଙ୍କୁ ଚିର ହାହାକାରେ ।

ଜୀର୍ଣ୍ଣ ଛିନ୍ନ ବସ୍ତ୍ର ଭେକ ଭିକ ଏ ଉଭୟ

ଅଟନ୍ତି ତୋ ଶାସନର ପ୍ରଧାନ ଆଶ୍ରୟ

ଯେଉଁ ଧନୀ ତୋତେ ଡରି

ନ ଚଳିଲା ହେଲା ତ ସେ ତୋର ପ୍ରଜା ସରି ।

ଅଜ୍ଞାତରେ ଅନୁକ୍ଷଣେ ଧନୀ ଭୋଗୀ ପାଶେ

ଜଗିଥାଉ ଅବସର ପାଇବାର ଆଶେ,

ଭାଗ୍ୟ ଦୋଷେ ସେ ସହାୟ

ପାଇବା ମାତ୍ରକେ ହରି ନେଉ ହାୟ ହାୟ ।

 

୧୦

ତୋହ ଆବିର୍ଭାବ ମାତ୍ରେ ଲଜ୍ଜା ଅଭିମାନ

ପୁଣି ଶିକ୍ଷା ଦୀକ୍ଷା ଆଦି ହୁଏ ଅନ୍ତର୍ଦ୍ଧାନ,

କିପାଁ ତୋ ଏ କୁମୂରତି,

ସୃଷ୍ଟ ହେଲା କେ ଜାଣିବ ଅଛି କା ଶକତି ।

Image

 

ଉତ୍କଳମାତା ଉକ୍ତି

 

ବେଳୁବେଳ ବଢ଼ୁଛି ଯାତନା,

ପାଇ ପଡ଼ୋଶୀଙ୍କର ଲାଞ୍ଛନା,

ବୋଲିବାକୁ ଆହା ହେବ କେହି ସାହା

ଥରେ ନ ଦିଏ ସାନ୍ତ୍ୱନା ହେ କୁମରେ ।୧।

ବଙ୍ଗ ତୈଲଙ୍ଗ ଭଗ୍ନୀ ଉଭୟ

ମଧ୍ୟେ ରହି ମୋର ନାହିଁ ଥୟ,

ମୁହିଁ ତିନି ଖଣ୍ଡ ହୋଇ ଗୁରୁ ଦଣ୍ଡ

ସଦା ଭୋଗୁଅଛି ଅତିଶୟ ହେ କୁମରେ ।୨।

ନାହିଁ ଆଉ ସେ ପୂର୍ବ ସମ୍ପତ୍ତି,

ତା ଅଭାବେ ସିନା ଏ ବିପତ୍ତି,

ପାରୁ ନାହିଁ କହି ଯେତେ କଷ୍ଟ ସହି

ପ୍ରାଣ ଧରି ରହିଛି ବରତି ହେ କୁମରେ ।୩।

କୁସଂସ୍କାରେ ହୋଇ ସର୍ବେ ଅନ୍ଧ

ତୁଚ୍ଛ କର୍କରାକୁ ମଣି କନ୍ଦ,

ହରାଇ ବିବେକ ଯେ ଯାହାର ଟେକ

ରଖିବାକୁ ଲଗାଉଛ ଦ୍ୱନ୍ଦ ହେ କୁମରେ ।୪।

ନାମପ୍ରୟାସୀ ହୋଇଣ ସର୍ବେ

ବଡ଼ଲୋକୀ ଭାବ ପୋଷି ଗର୍ବେ,

ସୋଦର ସୋଦର ମଧ୍ୟୁ ଅନାଦର

ଭାବ ଗଲା ନାହିଁ କେବେ ଲବେ ହେ କୁମରେ ।୫।

କହ କିଏ ବଡ଼ କିଏ ସାନ,

କାର୍ଯ୍ୟକ୍ଷେତ୍ରେ ସମସ୍ତେ ସମାନ,

ବଡ଼ ସାନ ଭାବ କଲେ ହୃଦେ ଠାବ

କିଏ ପାଇବ ନାହିଁ ସମ୍ମାନ ହେ କୁମରେ ।୬।

ପୂର୍ବ ପ୍ରକାର ନାହିଁ ସଂସ୍କାର,

ବ୍ୟାପ୍ତ କୁସଂସ୍କାର ଅନ୍ଧକାର,

ଜ୍ଞାନ-ଇନ କର ବିନା ତା ଅନ୍ତର

ହେବ ନାହିଁ ତ ଅନ୍ୟ ପ୍ରକାର ହେ କୁମରେ ।୭।

ଐକ୍ୟ ଗୁଣ ଉପାର୍ଜି ଝଟତି

ଦୃଢ଼ ନ କରି ଜାତୀୟ ଭିତ୍ତି

ଉନ୍ନତି-ଭୁବନ ଗଠନେ କେସନ

ବଳାଉଛି ସ୍ୱସଂକୀର୍ଣ୍ଣ ମତି ହେ କୁମରେ ।୮।

ଦେଖୁ ନାହିଁ ଯୋଗ୍ୟ ନେତା ଜଣେ

ଠିଆ ହେବାକୁ ଦେଶ କାରଣେ,

ବକ୍ତୃତାର ବଳ ଦେଶର ମଙ୍ଗଳ

ସାଧି ପାରିବ କି ଲବେ, କ୍ଷଣେ ହେ କୁମରେ ।୯।

ଦର୍ଶାଇବାକୁ ବାକପଟୁତା,

ଦେଇ ବିଅର୍ଥେ ଦୀର୍ଘ ବକ୍ତୃତା,

ବକ୍ତା ନାମ ବହି କପଟେ କିପାଇଁ

ନଷ୍ଟ କରୁଛ ସମୟ ବୃଥା ହେ କୁମରେ ।୧୦।

ଆହା କେତେ ଜଣ ସ୍ୱାର୍ଥପର

ନାମପାଇଁ ବ୍ୟସ୍ତ ନିରନ୍ତର,

ପ୍ରତାରଣା କରି ନାନା ବେଶ ଧରି

ଅନେ କରୁଛନ୍ତି ହରବର ହେ କୁମରେ ।୧୧।

ଧନୀ ସନ୍ତାନେ ହେଲେ କୃପଣ

ମତି ସ୍ୱାର୍ଥକାରେ ଅନୁକ୍ଷଣ.

ନିର୍ଦ୍ଧନ ନନ୍ଦନେ ମିଳି ଏକ ମନେ

ସାଧି ପାରୁ ନାହାନ୍ତି ସ୍ୱ-ପଣ ହେ କୁମରେ ।୧୨।

ବିଳାସରେ ପ୍ରବର୍ତ୍ତାଇ ମନ

ଦେଲ ଉଡ଼ାଇ ଗଚ୍ଛିତ ଧନ,

ଅନ୍ୟ ପଛେ ଧାଇଁ ହେଲ ନାମେ ବାଇ

ହେବ ଦାରିଦ୍ର୍ୟ-ଦାବେ ଦହନ ହେ କୁମରେ ।୧୩।

ଧନ ଅଭାବରେ ଶିକ୍ଷାବଳ

ହୋଇ ପାରିବ ନାହିଁ ପ୍ରବଳ,

ଧନ ଶିକ୍ଷା ଜ୍ଞାନ ସମତା ବିଧାନ

ଦେଶୋନ୍ନତି ପ୍ରଧାନ ସୋପାନ ହେ କୁମରେ ।୧୪।

ତବ ନବ୍ୟ ସଭ୍ୟ ଶିକ୍ଷା ଦୀକ୍ଷା

ହୋଇଛି ପ୍ରଧାନ ଜୀବିକା,

ଭାବୁ ନାହିଁ ଥରେ ଭ୍ରମି ସେ ପଥରେ

ଦେବ ଜୀବନେ ଦିନେ ପରୀକ୍ଷା ହେ କୁମରେ ।୧୫।

ପରସ୍ପର ମଧ୍ୟରେ ଦୂଷଣ

ପୁଣି ଅଯଥାରେ ଆକ୍ରମଣ-

ଭାବକୁ ପ୍ରଶ୍ରୟ ଦେଇ ତା ଆଶ୍ରୟ

ନେଲେ ନିଶ୍ଚେ ହେବ ଅକର୍ମଣ୍ୟ ହେ କୁମରେ ।୧୬।

ଅହଙ୍କାର ଦ୍ୱେଷ ହିଂସା ବୃଦ୍ଧି

ପାଇ କ୍ରମେ କରେ ହ୍ରାସ ବୁଦ୍ଧି,

ପୂଜ୍ୟ ପୂର୍ବ ଆର୍ଯ୍ୟ- ଗଣଙ୍କ ସୁକାର୍ଯ୍ୟ

ଅନୁକରଣେ ହେବଟି ସୁଧୀ ହେ କୁମରେ ।୧୭।

ବ୍ରତୀ ହୋଇ ଦେଶହିତ ବ୍ରତେ,

ଜାଗି କଲେ କାର୍ଯ୍ୟ ଏକମତେ,

ଏ ମୋହର କ୍ଲେଶ ନ ରହିବ ଲେଶ

ବୁଝ ମୋ ଗୌରବ ପ୍ରତ୍ନତତ୍ତ୍ୱେ ହେ କୁମରେ ।୧୮।

ଭାଗୀରଥୀ ପୁଣି ଗୋଦାବରୀ

ମଧ୍ୟୁ ମୋ କୀର୍ତ୍ତି ଭାତି ପ୍ରସରି

ଇତିହାସ ବକ୍ଷେ ରହିଛି ପ୍ରତ୍ୟକ୍ଷେ

ଚିରନ୍ତନ ସ୍ମୃତିସ୍ତମ୍ଭ ପରି ହେ କୁମରେ ।୧୯।

ଆହା ଜୟ କଲାବେଳେ କାଞ୍ଚି

କିଏ ଅମଙ୍ଗଳ ଥିଲା ପାଞ୍ଚି,

ଭାବିଲେ ସେ କଥା ହୃଦେ ଲାଗେ ବ୍ୟଥା

ଦିନ ନ ସରେ ସେ ଦିନ ବାଞ୍ଛି ହେ କୁମରେ ।୨୦।

ଗଲା ମୋର ପୂରୁବ ସମ୍ମାନ,

ରହିଅଛି ହୋଇ ହୀନମାନ,

କି କରିବି ଆହା ନଦିଶେ ଧୀରାହା

ବଳି ପଡ଼ୁଅଛି ଅପମାନ ହେ କୁମରେ ।୨୧।

ଦୁଃଖୁଁ କିପରି ହୋଇବି ପାରି,

କେବା ଶୁଣିବ ମୋହ ଗୁହାରି,

କାହା ଆଗେ ଯାଇ କହିବି ବୁଝାଇ

ମୋର ଅଭାବ ସର୍ବ ବିସ୍ତାର ହେ କୁମରେ ।୨୨।

ଅଛି ଆଶା ବ୍ରିଟିଶ କୃପାରେ,

ଯିବ ମୋ ଦୁର୍ଦ୍ଦଶା ଏକ ବାରେ,

ପୂରୁବ ଗୌରବ ପୂରୁବ ବିଭବ

ପାଇ ରହିବି ମୁଁ ଅଚିନ୍ତାରେ ହେ କୁମରେ ।୨୩।

ଆହେ ବିଭୁ ବିଶ୍ୱଚକ୍ରବର୍ତ୍ତୀ,

କର ସେ ଦିନ ନିକଟବର୍ତ୍ତୀ,

ଅସ୍ତଗତ ଭାନୁ ଉଦେ ହୋଇ ଆଣୁ

ଖରେ ଅତୀତ ଖ୍ୟାତି ଉନ୍ନତି ହେ କୁମରେ ।୨୪।

Image

 

ସଂସାର

 

ହେ ବିଧାତଃ, ତୁ ସୃଷ୍ଟି ପରା ଏହି

ଦାରୁଣ ଦୁଃଖ ସଂସାର,

ମହାକାଳ ପ୍ରାୟ ବାହ୍ୟ ଶୋଭା ଏଥି

ଭିତରେ ପୋଡ଼ା ଅଙ୍ଗାର ।

ଧନ, ମାନ, ପୁତ୍ର ପରିବାର ଯାହା

ଭାବନ୍ତି ନରେ ମୋହର,

ସମୟ ପଡ଼ିଲେ କେହି କାର ନୁହେଁ

ହୁଅନ୍ତି ସକଳେ ପର ।

ଅନିତ୍ୟ ଅସତ୍ୟ ଅସାରରେ ପୂର୍ଣ୍ଣ

ଅଟଇ ଏହି ଜଗତ,

ସୁସ୍ନିଗ୍ଧ ଶୀତଳ ବାହ୍ୟଦେଶ ତାର

ଭିତରେ ଘୋର ତପତ ।

ଅସାରକୁ ସାର ମଣେ ଭ୍ରାନ୍ତ ନର

ମାୟା-କୁହୁକରେ ହୁଡ଼ି,

ମିଛେ ମିଛେ ଯାକୁ ମେଘ ବୋଲି ମଣେ

ସେ ସିନା ତୁଚ୍ଛା କୁହୁଡ଼ି ।

ବୋଲନ୍ତି ମାନବେ ଅସାର ସଂସାରେ

କେବଳ ସାର ମାନବ,

କିନ୍ତୁ ଏହି କଥା ଲାଗୁଅଛି ମୋତେ

ଅମୂଳକ ଅସମ୍ଭବ ।

ମାନବ ଯଦ୍ୟପି ହୋଇଥାନ୍ତା ସାର

ତେବେ ଆହା କାହିଁପାଇଁ

ଚିର ନୋହି ଜଳ- ବୁଦ୍‌ବୁଦ୍‌ପରାୟେ

କ୍ଷଣକେ ଯାନ୍ତା ମିଳାଇ ।

ପୁଣି କେହି କହେ ନାହିଁ ନାହିଁ ସାର

ଅଟଇ କେବଳ ମନ,

କିନ୍ତୁ ଏ ଉକ୍ତିରେ ବିଶ୍ୱାସ ମୋହର

ହୁଏ ନାହିଁ କଦାଚନ ।

ଶରୀର ଅଟଇ ମନର ଆସନ

ଶରୀର ପୁଣି ଅଚିର,

ଦେହ ସଙ୍ଗେ ସଙ୍ଗେ ମନ ଲୟ ପାଏ

ନୁହେଁ କି ଧ୍ରୁବ ଏ ଗିର !

ସେ ବସ୍ତୁରେ କାହିଁ ସାରପତ୍ତା, ଯେହୁ

କ୍ଷଣକେ ଲଭେ ବିନାଶ,

ଖର ରୌଦ୍ର ତାପେ ଶୁଖିଗଲେ ଫୁଲ

ଥାଏ କି ଆଉ ସୁବାସ ?

ପୁଣି ସେହି ମନ ଗୁରୁ ରୂପେ ନରେ

ଦିଏ ପାପ ପୁଣ୍ୟ ଶିକ୍ଷା,

କାହାକୁ କରାଏ ରାଜ୍ୟେଶ୍ୱର ପୁଣି

କାହାକୁ ମଗାଏ ଭିକ୍ଷା ।

ବୋଲିବା ବା ସୁଖ ଦୁଃଖ ଧର୍ମାଧର୍ମ

ମାନବର କର୍ମଫଳ,

କିନ୍ତୁ ମୁଁ ସେ କଥା ମାନେ ନାହିଁ ତାହା

ପିଲା ଭଣ୍ଡାଣ କେବଳ ।

କର୍ମଫଳ ପ୍ରଭୁ ମନୁଷ୍ୟ ତ କିଛି

ଆଉ କାହୁଁ ଆଣି ନାହିଁ,

କେଉଁ ଯୁକ୍ତ ବଳେ କେଉଁ ନ୍ୟାୟ ତେବେ

ଦାୟୀ ହେବ ସେଥିପାଇଁ ?

ଭଲ ମନ୍ଦ ଯେତେ କାର୍ଯ୍ୟ ଏ ଜଗତେ

ସବୁ ମନ ପ୍ରରୋଚନା,

କି ଅସାଧ୍ୟ ତାର ? ଲୋଭ ମୋହ, ହତ୍ୟା

ସକଳ ମନ ଛଳନା ।

ମନ ପରି ଶତ ମୁହାଁ ଏ ଜଗତେ

କିସ ଅଛି କାହିଁ ଆଉ,

କେବେ ଶୁକ୍ଳେ କୃଷ୍ଣ କୃଷ୍ଣେ ଶୁକ୍ଳ କହି

ସାଧେ ପରକ୍ଷଣେ ଦାଉ ।

ଯେ ମନର କାର୍ଯ୍ୟ ଏସନ କୁଟିଳ

କିପରି ହେବ ସେ ସାର,

ମହୁଲକୁ ଦ୍ରାକ୍ଷା ମଣିଲେ ମହୁଲ

ହେବ କି ସମ ତାହାର ।

ଅତଏବ ଭବେ ଚିର ନୁହେଁ କିଛି

ସକଳ ପୁଣି ଅସାର,

ହେ ପ୍ରଭୁ କେବଳ ତୁମ୍ଭେ ଏଥି ଚିର

ତୁମ୍ଭେ ସାର ସାରାତ୍‌ସାର ।

ଯେ ଜନ ତୁମ୍ଭର ଅଘହାରୀ ନାମ

ଏକାନ୍ତେ କରେ ଭଜନ,

ସେହି ସିନା ଏକା ହୁଏ ଏ ଜଗତେ

ସାର ପଦର ଭାଜନ ।

ମୁଁ ଛାର ପାମର ମୂଢ଼ ଦୁରାଚାର

ବିଷୟ-ବିଷରେ ବୁଡ଼ି

ତୁମ୍ଭର ପବିତ୍ର ନାମକୁ ନ ଧରି

ଗଲି ପରକାଳ ହୁଡ଼ି ।

ଶରଣ ଗଲି ମୁଁ ଅଭୟ ଚରଣେ

ହେଉ ମୋ ଗୁହାରି ଘେନା,

ଦୋଷ ଅନୁପାତେ ଦଣ୍ଡ ଅବା କ୍ଷମା

ପ୍ରଭୁ ଭବ-ବଜ୍ରସେହ୍ନା ।

କିନ୍ତୁ ଏ ମାନସେ ହେଉଅଛି ପ୍ରଭୁ

ସଦା ଏ ଆଶା ଉଦୟ,

ଦୟାମୟ ପିତା ଦୁଷ୍ଟ ପୁତ୍ର ପ୍ରତି

ହୁଅନ୍ତି ନାହିଁ ନିର୍ଦୟ ।

Image

 

କାର୍ଯ୍ୟକ୍ଷେତ୍ରୁ ବିଦାୟ ଗ୍ରହଣ

 

ଜୀବେ ଥାଇ ଏବେ ମୁହିଁ ହୁଏ ମୃତପ୍ରାୟ,

ଆହା ପୁଣି ଅବଶେଷେ ହେଲି ନିରୁପାୟ ।

ବିଦାୟ ଦିଅ ମା ଏବେ ହୋଇଣ ସଦୟ,

ରଖିବୁ କି ଲାଭ ଆଶେ ଅଯୋଗ୍ୟ ତନୟ ।

ବିଘ୍ନ ବାଧା ହେବା ହେତୁ ଘୋର ଅନିର୍ବାର୍ଯ୍ୟ,

ପାରି ନାହିଁ ସାଧି ମାତଃ, ତୋର କିଛି କାର୍ଯ୍ୟ ।

କାର୍ଯ୍ୟଦକ୍ଷ ସନ୍ତାନଙ୍କ ସଙ୍ଗରେ ମିଶାଇ,

ଅକର୍ମଣ୍ୟେ ଅନର୍ଥକ ରଖିଛୁ କିପାଇଁ ।

ନାହିଁ ମୋର ଶକ୍ତିଦେବି, ନାହିଁ ବିଦ୍ୟା-ଧନ,

କାର୍ଯ୍ୟକ୍ଷେତ୍ରେ କରିବାକୁ ସଫଳ ସାଧନ ।

ଯାଉଛି ଛାଡ଼ି ମାତ ତୋ, ଆଶ୍ରମ ଆଶ୍ରୟ

ଦିଅ ଧୂଳି ଝାଡ଼ି ଶିରେ ରଖି ପଦଦ୍ୱୟ ।

ଜନନୀ ଜନମ ଭୂମି ବେନି କତି ୠଣୀ

ହୋଇ ହାୟ ପରିଶେଷେ ହେଲି ହୀନ ପୁଣି ।

ଅଟେ ମୁଁ ଅବଜ୍ଞା ଦୋଷେ ଜଡ଼ିତ ସଢ଼ିତ,

କ୍ଷମ ମା ଉତ୍କଳମହୀ ନୋହି ରୁଷ୍ଠଚିତ୍ତ ।

ଏତେବେଳେ ସ୍ୱଜ୍ଞାନ ବା ପାଇବି ମୁଁ କାହୁଁ,

ପୂଜିବାକୁ ତୋ ପୟର କାଞ୍ଚନ-କଠାଉ ।

ବାରେ ସୁଦ୍ଧା ପୋଛିବାକୁ ତୋର ଅଶ୍ରୁଜଳ

ଯୋଗ୍ୟ ନୋହି ମୋ ଜୀବନ ହେଲାକ ବିଫଳ ।

ହୋଇ ଆସିଲାଣି ପ୍ରାଣ ଏବେ ଅବସନ୍ନ,

ହେଉ ନାହିଁ ଲବେ କାହିଁ ମନ ସୁପ୍ରସନ୍ନ ।

କରିବ କିଏ ବା ବିଧି ବିଧାନ ଖଣ୍ଡନ,

ପ୍ରତ୍ୟୁତ ପାଳନେ ତାହା ବାଧ୍ୟ ସର୍ବଜନ ।

ତୋର ସ୍ନିଗ୍ଧ ଭାବମୟୀ ମଧୁମୟୀ ଭାଷା

ବିନା ଅନ୍ୟ ଭାଷାରେ କି ପୂରିବ ମୋ ଆଶା ।

ତୁହି ମୋର ଅଦ୍ୱିତୀୟ ଜୀବନ ଜୀବିକା,

ଯୁଗେ ଯୁଗେ ଦେବି ମୁହିଁ ତୋ ଚରଣେ ବିକା ।

ଯେଣୁ ନାହିଁ କିଞ୍ଚିତେ ମୋ ସମୀଚୀନ ଜ୍ଞାନ,

ତେଣୁ ମୋର ଉପଯୁକ୍ତ ଆଖ୍ୟା କୁସନ୍ତାନ ।

କ୍ଷଣମାତ୍ର ସୁଦ୍ଧା ଦେବି ତୋ କାର୍ଯ୍ୟ ସାଧନ

କରିବାକୁ ଚେଷ୍ଟିତ ମା ନୁହେଁ ମୋର ମନ ।

ଅଟେ ମୁହିଁ ହୀନତରୁ ହୀନତମ ଅତି,

ତୋ ପଦ ସେବାରେ କାହୁଁ ଖଟାଇବି ମତି ।

ଧିକ ଧିକ ମୋର ଜନ୍ମ ଧିକ ମୋର କର୍ମ,

ହେଲି ଅଜ୍ଞ ଛାଡ଼ ଯାହା ଅଟେ ମୋକ୍ଷ ଧର୍ମ ।

କାର୍ଯ୍ୟକ୍ଷେତ୍ରୁ ଏହି ହୀନ ସନ୍ତାନେ ବହନେ,

ବିଦାୟ ପ୍ରଦାନ ମାତଃ ପ୍ରସନ୍ନ ବଦନେ ।

ନୁହଁ କ୍ଷୁବ୍ଧ ଗୋ ଦୁଃଖିନୀ ଉତ୍କଳ ଜନନୀ,

ପାହି ଆସିଲାଣି ତୋର ବିଷାଦ ରଜନୀ ।

ଲାଗିଛନ୍ତି ମନୋଯୋଗେ ତୋ ଯୋଗ୍ୟ ନନ୍ଦନେ,

ତୋ ବିଛିନ୍ନ ଅଙ୍ଗ ଯୋଗ କରିବା କାରଣେ ।

ଆସିବ ଫେରି ତୋ ପୂର୍ବ ଗୌରବ ବିଭବ,

ନ ରହିବ ଆଉ କେବେ ପର ପରାଭବ ।

ସ୍ୱାର୍ଥପର ଛନ୍ତି କେତେ ସନ୍ତାନ ମଧ୍ୟରେ,

ସବୁ ନଷ୍ଟ କରୁଛନ୍ତି ଅନ୍ତର୍ବିବାଦରେ ।

ପରଶ୍ରୀକାତର ନାମ-ପ୍ରୟାସି ସ୍ୱଭାବ

ବଶେ ହ୍ରାସ ହେଉଛି ତୋ ଉନ୍ନତି ପ୍ରଭାବ ।

ଆତ୍ମସ୍ୱାର୍ଥ ଦୋଷ ବଶେ ଜାତୀୟ ଜୀବନ,

ଭିତ୍ତ ହୋଇ ପାରିବ ବା ସୁଦୃଢ଼ କେସନ ।

କୁସଂସ୍କାର- ଅନ୍ଧକାର ଘୋଟିଣ ନିରତ

ଢାଙ୍କି ପକାଉଛି ଭାବୀ ଉନ୍ନତି ସୁପଥ ।

ନେତା ହେବା ଲାଗି ହୋଇ ସର୍ବେ ଲାଳାୟିତ,

ହିତାହିତ ଭାବ ନାହିଁ କାହାର କିଞ୍ଚିତ ।

ନାହିଁ କେଉଁ ବିଷୟରେ କେବେ ଏକମତ,

ଦ୍ୱେଷ ହିଂସା ହେଲା ଆସି ପରମ୍ପାର ଗତ ।

ଭିନ୍ନ ଭିନ୍ନ ଦଳବଦ୍ଧ ବିରୋଧାଚରଣ,

ଶିକ୍ଷା ଦୀକ୍ଷା ଅଟେ ଏବେ ପ୍ରଧାନ କାରଣ ।

ବାହ୍ୟ ଆଡ଼ମ୍ବରେ ଜାତି ଗୌରବଚନ୍ଦ୍ରମା

ଯାଉଛି ଅଦୃଶ୍ୟ ହୋଇ ଲୁଚାଇ ସୁଷମା ।

ଏକତା-ମନ୍ତ୍ର ବଳରେ କେତେ ସୁମହତ

କାର୍ଯ୍ୟ ପୂର୍ବ ଆର୍ଯ୍ୟଙ୍କର ଅଛି ସ୍ମୃତିବତ ।

କେତେ କେତେ ଅସାଧ୍ୟ ବା ହୋଇଛି ସୁସାଧ୍ୟ,

ଅଟେ ଯାହା ଶିକ୍ଷଣୀୟ ପୁଣିହିଁ ଆରାଧ୍ୟ ।

ସେ ପୀୟୂଷ କଥାମାନ ପଶିଲେ ଶ୍ରବଣେ,

ହୁଏ ଆଶା ସଞ୍ଚାରିତ ହତାଶ ଜୀବନେ ।

ନାହିଁ ଭାଗ୍ୟେ ସେ ମହିମା ଅନୁକ୍ଷଣ ଗାଇ,

ସାର୍ଥକ ଏ ହୀନ ପ୍ରାଣ କରିବାର ପାଇଁ ।

କର ଆର୍ଶୀବାଦ ଦୀନେ ମାତଃ ସ୍ୱଗୁଣରେ,

ବିଦାୟ ନେଉଛି ୠଣୀ ହୋଇ ତୋ ୠଣରେ ।

Image

 

ବାଣୀ ପୂଜା

 

(ରାଗ–ରସକୁଲ୍ୟା)

ବାଣୀ ବୀଣାପାଣି ସୁବିଦ୍ୟାଖଣି,

ବାଡ଼୍ୟାବି ପାରକୁ ଏକା ତରଣୀ,

ନିବିଡ଼ ଅଜ୍ଞାନ-ଧ୍ୱାନ୍ତ-ଧ୍ୱଂସିନୀ,

ସାହିତ୍ୟ-ସଙ୍ଗୀତ-ସୁଧାବର୍ଷିଣୀ,

କୋବିଦ ଶିର ମଣ୍ଡଣୀ ଯେ,

ଦଣ୍ଡକରେ ଗଣ୍ଡ ମୂର୍ଖତ୍ୱ ଖଣ୍ଡିଣ

କରୁ ପଣ୍ଡିତା ଅଗ୍ରଣୀ ଯେ ।୧।

ଦୀନ ହୀନ ପ୍ରତି ତୋର କରୁଣା

ଈଷିତେ କେବେହେଁ ନୁହଁଇ ଊଣା,

ମାତ୍ର ଅଯୋଗ୍ୟ ମୁଁ ଅଟେ କେବଳ,

ପୂଜିବାକୁ ତୋର ପଦଯୁଗଳ,

କାହିଁଛି ମା ମୋର ଶକ୍ତି ଯେ,

ତୋହର ପ୍ରଦତ୍ତ ଜ୍ଞାନକୁ ଆୟତ୍ତ

କରଣେ ନାହିଁ ଆସକ୍ତି ଯେ ।୨।

ନାହିଁ ଯେଣୁ ମୋର ଧର୍ମ କରମ,

ତେଣୁ ମୁଁ ବୋଲାଏ ଅତି ଅଧମ,

ବୁଝିବି କାହୁଁ ମୋ ତୋର ବିଷୟ,

ବିଷୟ-ବିଷରେ ହରାଇ ଲୟ,

ମନ୍ଦ ବିନା ନାହିଁ ଭଲ ଯେ,

କି କରିବି ମାତଃ ଏ କ୍ଷୀଣ ଜୀବନ

ହୁଏ ବଡ଼ କଲବଲ ଯେ ।୩।

ତୋହର କରୁଣା-ବାରି ସେଚନେ

ଶୁଷ୍କ ଜୀବ ବୃକ୍ଷ ଅଛି ଚେତନେ,

ଫୁଟିବ କି ଭକ୍ତି-କୁସୁମ ତହିଁ,

ପ୍ରେମ-ଫଳ, ଭାବ-କଳିକା ବହି,

କଲା ମାତ୍ରକେ ସେ ଆଶା ଯେ,

ଦଣ୍ଡ ଦଣ୍ଡ କରେ କେତେ ଦଣ୍ଡ ଆଣି

ଦିଏ ସଂସାର ପିପାସା ଯେ । ୪।

ଏଣିକି ମାତଃ ତୋ ଆଜ୍ଞା ପାଳନ

କରି ଲେଖିବାକୁ ଧରି ଲେଖନ

ନାହିଁ ଜ୍ଞାନବଳ ମୋ ଅପଘନେ,

ଦୁର୍ବଳତା ଘୋଟି ଗଲାଣି ମନେ,

ସେବାକୁ ହେବ କି ଯୋଗ୍ୟ ଯେ,

ସେ ଭାଗ୍ୟ ମୋହରି ହୋଇବ କିପରି

ଅଟେ ତ ମୁହିଁ ଅଯୋଗ୍ୟ ଯେ ।୫।

ମାତଃ ତୋ ମହିମା କରି ଜୀବିକା,

କଲି ଏତେ ଦିନ ମୁଁ କିଣା ବିକା,

ଏଣିକି ଆଉ ମୋ ନାହିଁ ସାହସ,

ଯାଇଛି ହୋଇ ତା ହ୍ରାସ କ୍ରମଶଃ

ଜୀବର ଛାୟାପତନୁ ଯେ,

ବଞ୍ଚିବା ଭରସା ହେଉ ନାହିଁ ଆଉ

ବହି ଜୀର୍ଣ୍ଣଶୀର୍ଣ୍ଣ ତନୁ ଯେ ।୬।

ବାଗ୍‌ଦେବୀ ଜନନୀ ଗୋ ଶ୍ୱେତଭୁଜା,

ଯାଉଅଛି ଛାଡ଼ି ତୋ ସେବା ପୂଜା,

ଦିଅ ବିଦାୟ ମା ପ୍ରାର୍ଥନା ଏଣୁ,

ଅନୁଜ୍ଞା ସହ ଦେଇ ପଦରେଣୁ,

ତବ ପଦେ ହୋଇ ୠଣୀ ଯେ,

ରହିବ ଔଦାର୍ଯ୍ୟ ଆଚରି ଜନନୀ

ତୋର ନାମ ଗୁଣି ଗୁଣି ଯେ ।୭।

Image